ଏରସମାରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର

By digbalayalive

Published on:

ଏରସମାରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର

ଏରସମା, ୧୧/୧୧ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ, ଏରସମା ବ୍ଲକ୍ କାର୍ଯ୍ୟାଳୟ ସମ୍ମେଳନ କକ୍ଷରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ମୂଖ୍ୟ ବିକାଶ ଅଧିକାରୀ ରବି ନାରାୟଣ ଜେଠୀ ଶିବିରରେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗର ଶୁଣାଣୀ କରିଥିଲେ। ଏହି ଅଭିଯୋଗ ଶିବିରରେ ମୋଟ ୧୮୩ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୧୬୮ଟି, ଗ୍ରାମ୍ୟଗୋଷ୍ଠୀ ସମସ୍ୟା ସମ୍ପର୍କିତ ୧୫ଟି ଅଭିଯୋଗ ରହିଥିଲା। ବ୍ୟକ୍ତିଗତ ସମସ୍ୟା ମଧ୍ୟରୁ ରେସନକାର୍ଡ ସମ୍ପର୍କିତ ୬ଟି, ଆବାସ ଯୋଜନା ସମ୍ପର୍କିତ ୬୮ଟି, ଜମିଜମା ସଂପର୍କିତ ୩୪ଟି, ଭତ୍ତା ସମ୍ପର୍କିତ ୧୭ଟି, ମୂଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପାଇଁ ୩ଟି, ଅନ୍ୟାନ୍ୟ ୩୬ଟି ଅଭିଯୋଗର ଶୁଣାଣୀ କରାଯାଇ, ୧ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। ଆଜିର ମିଳିତ ଜନଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ମହାପାତ୍ର, ବିଡ଼ିଓ ଦାସରଥି ଜେନା, ତହସିଲଦାର ଦେବୀ ପ୍ରଶାଦ ଆଚାର୍ଯ୍ୟ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ,କ୍ଷେତ୍ରିୟ ଅଧିକାରୀ ଓ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଶିବିରରେ ଉପସ୍ଥିତ ରହି ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ। ଆଜିର ଅଭିଯୋଗରୁ ଜଣାପଡ଼ିଛି, ସୋମପୁର ପଞ୍ଚାୟତ ଏମ୍ ବି କେ, ମହାସଂଘ ପାଇଁ ଆସିଥିବା ସରକାରୀ ଅର୍ଥର ତୋଷରପାତ କରିଥିବାର ଇ ସି ମେମ୍ବର ମାନେ ଅଭିଯୋଗ କରିଛନ୍ତି। ପାଳଧୁଆ ବନ୍ଧଠାରୁ ପାତୁଆ ଆନିକଟ ପର୍ଯ୍ୟନ୍ତ ଲୁଣାଘେରି ବନ୍ଧରେ ରାହାଣ ପଞ୍ଚାୟତ କୋସିଦା ଗ୍ରାମର କିଛି ଲୋକ ମଇଁଷି ରଖି ବନ୍ଧ ନଷ୍ଟ କରୁଛନ୍ତି।ଏହାର ପ୍ରତିବାଦ କଲାରୁ ସେମାନେ ବିଭିନ୍ନ ଧମକ ଦେଉଥିବାର କୁଅଁର ବେଦୀ ଗ୍ରାମର ଜନସାଧାରଣ ଅଭିଯୋଗ କରିଛନ୍ତି। ମଧୁବାରିଷ୍ଟର ଛକରୁ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ସଂଯୋଗ କରୁଥିବା ରାସ୍ତାରେ ବର୍ଷାଦିନେ ପାଣି ଜମି ରହୁଥିବାରୁ ଛାତ୍ରଛାତ୍ରୀ ମାନେ ହଇରାଣ ହରକତ ହେଉଛନ୍ତି ବୋଲି ଆଉଁରି ଗ୍ରାମର ଜନସାଧାରଣ ଅଭିଯୋଗ କରିଛନ୍ତି।ଦେବୀ ନଦୀ ମୁହାଣରୁ ଜଟାଧାର ମୁହାଣ ପର୍ଯ୍ୟନ୍ତ ସମୂଦ୍ର କୂଳେ କୂଳେ ଜୁଆର ପ୍ରତିରୋଧ ବନ୍ଧ ନିର୍ମାଣ ସହିତ, ହାୱାଖାନା ଠାରୁ ଜଟାଧାର ମୁହାଣ ପର୍ଯ୍ୟନ୍ତ ହେନ୍ତାଳବନ ସ୍ରୃଷ୍ଟି କରିବା ପାଇଁ ଉପକୂଳ ସୁରକ୍ଷା ସମିତି ପକ୍ଷରୁ ଦାବି କରାଯାଇଛି।ସେହିପରି ସଦର ଏରସମା ଠାରେ ନିର୍ମାଣାଧୀନ ବସ୍ ଟର୍ମିନାଲ କାର୍ଯ୍ୟ ନିମ୍ନମାନର ହେଉଥିବାର ସଙ୍କଳ୍ପ ସାମାଜିକ ଅନୁଷ୍ଠାନ ପକ୍ଷରୁ ଚନ୍ଦ୍ରଜିତ ଦାସ ଅଭିଯୋଗ କରିଛନ୍ତି।

Leave a Comment