ସମୟ ଅବଧି ମଧ୍ୟରେ ସରିଲା GPR ସର୍ଭେ
ପୁରୀ:୨୫/୯/୨୪(ବ୍ୟୁରୋ):-ଧାର୍ଯ୍ୟ ସମୟ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସରିଲା GPR ସର୍ଭେ। ହାଇଦ୍ରାବାଦର ନ୍ୟାସନାଲ ଜିଓ ଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚୁ୍ୟଟ ର ବୈଜ୍ଞାନିକ ଆନନ୍ଦ ପାଣ୍ଡେ ଙ୍କ ତତ୍ତ୍ଵାବଧାନରେ ରତ୍ନଭଣ୍ଡାରର ହେଲା ଜିପିଆର ସର୍ଭେ। ଗତକାଲି ୨୧ ତାରିଖରୁ ଆରମ୍ଭ ହୋଇଥିବା ଜିପିଆର ସର୍ଭେ କାର୍ଯ୍ୟ ଦୁଇ ଦିନ ରେ ଶେଷ ହୋଇଛି। ଏହି ସର୍ଭେ କାର୍ଯ୍ୟ ପାଇଁ ତିନି ଦିନ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଦୁଇଦିନରେ ରତ୍ନଭଣ୍ଡାରର ଜିପିଆର ସର୍ଭେ କାର୍ଯ୍ୟ ଶେଷ କରିଛନ୍ତି ଏନଜିଆରଆଇ ର ବୈଜ୍ଞାନିକ। ତିନୋଟି ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରର ଭୂମି ତଳକୁ ଦଶ ମିଟର ପର୍ଯ୍ୟନ୍ତ ଜିପିଆର ସର୍ଭେ କରାଯାଇଛି। ଉଭୟ ଭିତର ଓ ବାହାର ପଟ ମଧ୍ୟ ଏହି ରାଡାର ସର୍ଭେ କାର୍ଯ୍ୟ କରାଯାଇଥିଲା। ଜିପିଆର ସର୍ଭେରୁ ମିଳିଥିବା ଡାଟାକୁ ଏନଜିଆରଆଇ ର ବୈଜ୍ଞାନିକ ଆନନ୍ଦ ପାଣ୍ଡେ ଅନୁସୀଳନ କରିବେ। ମିଳିଥିବା ଡାଟାକୁ ସଫ୍ଟୱେର ସାହାଯ୍ୟରେ ଏହାର ଚିତ୍ର ସଂଗ୍ରହ କରାଯିବ। ସେହି ଚିତ୍ରକୁ ଅନୁଶୀଳନ କରାଯିବା ପରେ ରତ୍ନଭଣ୍ଡାର ଭିତରେ ଗୁପ୍ତ ସୁଡ଼ଙ୍ଗ, ଗୁପ୍ତ କୋଠରୀ ଏବଂ ଆଉ ଧନ ରତ୍ନ ଅଛି କି ନାହିଁ ତାହା ଜଣାପଡିବ। ତେବେ ଦୁଇଦିନ ଧରି ଜିପିଆର ସର୍ଭେ ହୋଇଥିବା ବେଳେ ଏଥିରୁ ମିଳିଥିବା ଡାଟାକୁ ଅନୁଶୀଳନ କରାନଯିବା ପର୍ଯ୍ୟନ୍ତ ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଅଛି କି ନାହିଁ ତାହା ଏବେ କହିବା ସମ୍ଭବପର ନୁହେଁ ବୋଲି କହିଛନ୍ତି ଏନଜିଆରଆଇ ର ବୈଜ୍ଞାନିକ ଆନନ୍ଦ ପାଣ୍ଡେ।
ଏନଜିଆରଆଇ ପକ୍ଷରୁ ଜିପିଆର ସର୍ଭେ ରିପୋର୍ଟ ଆସିବା ପରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ। ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରତ୍ନଭଣ୍ଡାରର ମରାମତି ଓ ସଂଗ୍ରକ୍ଷଣ କାର୍ଯ୍ୟ ଏଏସଆଇ କରିବ। ଏହାପରେ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଇ ରତ୍ନଭଣ୍ଡାର ଭିତରେ ସମସ୍ତ ରତ୍ନ ଅଳଙ୍କାର ଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯିବ। ଗତକାଲି ଠାରୁ ରତ୍ନଭଣ୍ଡାରର ଜିପିଆର ସର୍ଭେ ଆରମ୍ଭ ହୋଇଥିବା ବେଳେ ମହାପ୍ରଭୁଙ୍କ ନୀତି କାନ୍ତିରେ ଯେଭଳି କୌଣସି ଅସୁବିଧା ସୃଷ୍ଟି ନହୁଏ ସେଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିଲା। ଦିନ ୧ଟା ରୁ ସନ୍ଧ୍ୟା ୬ଟା ଯାଏଁ ଜିପିଆର ସର୍ଭେ ପାଇଁ ସ୍ବତନ୍ତ୍ର ଟିମ୍ ରତ୍ନଭଣ୍ଡାର ଭିତରେ ପ୍ରବେଶ କରି ସର୍ଭେ କାର୍ଯ୍ୟ କରିବା ପାଇଁ ସମୟ ଅବଧି ଧାର୍ଯ୍ୟ କରାଯାଇଥିବା ବେଳେ ଏହି ସମୟରେ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଜାରୀ କରାଯାଇଥିଲା। ତେବେ ଆସନ୍ତାକାଲି ଠାରୁ ଦର୍ଶନାର୍ଥୀ ମାନେ ସବୁଦିନ ଭଳି ମହାପ୍ରଭୁଙ୍କୁ ଆସି ଦର୍ଶନ କରିପାରିବେ। ଆଉ କୌଣସି କଟକଣା ଭକ୍ତଙ୍କ ପାଇଁ ରହିବ ନାହିଁ। ମହାପ୍ରଭୁଙ୍କ କୃପାରୁ ଜିପିଆର ସର୍ଭେ କାର୍ଯ୍ୟ ଭଲରେ ଶେଷ ହୋଇଥିବା ବେଳେ ଏହି କାର୍ଯ୍ୟରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ଧନ୍ୟବାଦ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ସେବାୟତ ମାନେ କହିବା ପରେ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ଏହି ସନ୍ଦେହକୁ ଦୂର କରିବା ପାଇଁ ରାଜ୍ୟ ସରକାର ରତ୍ନଭଣ୍ଡାରର ଜିପିଆର ସର୍ଭେ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଜିପିଆର ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଓ କୋଠରୀ ଅଛି କି ନାହିଁ ସେହି ରିପୋର୍ଟ କୁ ଏବେ ସମସ୍ତଙ୍କର ଅପେକ୍ଷା।