କମ୍ପାନୀ ମାଲେମାଲ ଜମି ଦେଇ ବିସ୍ଥାପିତ ସର୍ବହରା
କେନ୍ଦୁଝର:୪/୧(ବ୍ୟୁରୋ):- କମ୍ପାନୀ ହାତକୁ ଭିଟାମାଟି ଟେକିଦେଇ ଆଖିରୁ ଲୁହ ଗଡାଉଛନ୍ତି ବିସ୍ଥାପିତ। ବିସ୍ଥାପିତ ହୋଇଥିବା ଲୋକଙ୍କ ଜମିରେ କାରଖାନା କରି କମ୍ପାନୀ କୋଟି କୋଟି ଟଙ୍କା ଉପାର୍ଜନ କରି ମାଲେମାଲ ହେଉଥିବା ବେଳେ ସର୍ବହରା ହୋଇଛନ୍ତି ସ୍ଥାନୀୟ ଅଧିବାସୀ। ୨୦୦୬ ମସିହାରୁ କମ୍ପାନୀ ଦ୍ୱାରା ବିସ୍ଥାପିତ ହୋଇ ଅଭିଶପ୍ତ ଜୀବନ ଜିଉଁଛନ୍ତି ଚମ୍ପୁଆ ଉପଖଣ୍ଡର କିତାବେଡା, ଦେଓଝର ଓ ସିଆଲଯୋଡ଼ା ଗ୍ରାମବାସୀ। ୨୦୦୬ ମସିହାରେ କମ୍ପାନୀ ଜମି ଅଧିଗ୍ରହଣ ସମୟରେ ଗ୍ରାମବାସୀଙ୍କୁ ମିଠା ମିଠା ପ୍ରତିଶୃତିରେ ପୋତି ଦେଇଥିବା ବେଳେ ଗ୍ରାମବାସୀ ଏବେ କମ୍ପାନୀ ହେବାର ୧୮ ବର୍ଷ ପରେ କମ୍ପାନୀ ହାତକୁ ଭିଟା ମାଟି ଟେକି ଦେଇ ଭାଗ୍ୟକୁ ନିନ୍ଦୁଛନ୍ତି। ପରିସ୍ଥିତି ଏପରି ହୋଇଛି ଏବେ ବିସ୍ଥାପିତଙ୍କ ଦୁଃଖ ନା କମ୍ପାନୀ ଦେଖୁଛି ନା ପ୍ରଶାସନ ହୃଦୟଙ୍ଗମ କରୁଛି। ଏପରିକି ବିସ୍ଥାପିତଙ୍କ ଆଖିର ଲୁହ ଆଖିରେ ଶୁଖୁଥିବା ବେଳେ ଆଜି ବସ୍ଥାପିତଙ୍କ ସମସ୍ୟାକୁ ନେଇ ଚମ୍ପୁଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ କିଛି ସୁଫଳ ମିଳି ପାରିଲା ନାହିଁ । ସୂଚନା ଯୋଗ୍ୟ କି ୨୦୦୬ ମସିହାରେ ଚମ୍ପୁଆ ଉପଖଣ୍ଡର ଦେଓଝର ଠାରେ ଜିନ୍ଦଲ ଷ୍ଟିଲ ଏକ କାରଖାନା ପାଇଁ ଜମି ଅଧିଗ୍ରହଣ କରିଥିଲା। ଦେଓଝର ପଞ୍ଚାୟତର କିତାବେଡା, ସିଆଲଯୋଡ଼ା, ଓ ଦେଓଝର ଗ୍ରାମର ଜନ ସାଧାରଣଙ୍କୁ ସେତେବେଳେ ମିଠା ମିଠା ପ୍ରତିଶୃତି ଦେଇ ଶାଗ ମାଛ ଦରରେ ତାଙ୍କ ଭିଟାମାଟି ନେବା ପରେ ଏବେ ପ୍ରତିଶୃତିରୁ ଓହରି ଯାଇ ଥିବାରୁ ଏବେ ଜମି ଦେଇ ସର୍ବହରା ହୋଇଛନ୍ତି ସେଠାକାର ବିସ୍ଥାପିତ। ଜମି ଅଧିଗ୍ରହଣ ବେଳେ ଦେଇଥିବା ପ୍ରତିଶୃତି ମଧ୍ୟରେ ବିସ୍ଥାପିତ ବେକାର ଯୁବକ, ଯୁବତୀଙ୍କୁ କମ୍ପାନୀରେ ନିଯୁକ୍ତି ସୁଯୋଗ, ବିସ୍ଥାପିତ ଙ୍କୁ ଜମି , ବିସ୍ଥାପିତ ଙ୍କ ପିଲାଛୁଆଙ୍କୁ ଉତ୍ତମ ଶିକ୍ଷା ବ୍ୟବସ୍ଥା, ସ୍ବାସ୍ଥ୍ୟ, ବିସ୍ଥାପିତ କଲୋନୀ ର ମୈଳିକ ସୁବିଧା ଆଦି ପ୍ରତିଶ୍ରୁତି କୁ କମ୍ପାନୀ ଏବେ ଅଣଦେଖା କରି ଚାଲିଛି ଯାହାରି ପାଇଁ ଚମ୍ପୁଆ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଥିଲେ ବିସ୍ଥାପିତ। ବିସ୍ଥାପିତ ଠିକା କର୍ମଚାରୀଙ୍କୁ କମ୍ପାନୀ ରେ ସ୍ଥାୟୀ ନିଯୁକ୍ତି, ଆବଶ୍ୟକ ବେଳେ କୌଣସି କାରଣ ନ ଥାଇ କମ୍ପାନୀ ରେ କାର୍ଯ୍ୟ କରୁଥିବା ବିସ୍ଥାପିତଙ୍କୁ ଛଟେଇ କରି ଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ବିସ୍ଥାପିତଙ୍କୁ ଲିଜ ଦିଆ ଯାଇଥିବା ଜମି ଗୁଡିକର ପଟା ପ୍ରଦାନ, ବିସ୍ଥାପିତ ପରିବାରର ପିଲା ମାନଙ୍କୁ କମ୍ପାନୀର ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନର ବ୍ୟବସ୍ଥା, କମ୍ପାନୀରେ ନିଯୁକ୍ତି ପାଇଥିବା ବିସ୍ଥାପିତଙ୍କ ମୃତ୍ଯୁ ପରେ ତାଙ୍କ ପୁଅ, ଝିଅଙ୍କୁ ନିଯୁକ୍ତି ସୁଯୋଗ, ବିସ୍ଥାପିତ କଲୋନୀ ଗୁଡିକରେ ଡିସ୍ପେନସାରୀ ରେ ସ୍ୱାସ୍ଥ୍ୟସେବା ମିଳୁ ନ ଥିବାରୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ବିସ୍ଥାପିତଙ୍କୁ ଆମ୍ବୁଲାନ୍ସ ସେବା, ବିସ୍ଥାପିତ ଗ୍ରାମ ଗୁଡିକର ପାରିପାର୍ଶିକ ଉର୍ନ୍ନତି ପରି ୧୫ ଦଫା ଦାବୀ ନେଇ ଚମ୍ପୁଆ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏହି ଦାବୀ ପୂରଣ ନ କଲେ କମ୍ପାନୀ ବାହାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବା ଓ କମ୍ପାନୀ ଗେଟ୍ ରେ ଚାବି ପକାଇବା ଚେତାବନୀ ପରେ ଆଜି ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କମ୍ପାନୀ କର୍ତୃପକ୍ଷ ଓ ବିସ୍ଥାପିତଙ୍କ ମଧ୍ୟରେ ଏକ ବୈଠକ ଉପଜିଲ୍ଲାପାଳଙ୍କ ଉପସ୍ଥିତି ରେ ଆୟୋଜିତ ହୋଇଥିଲା। ଏହି ବୈଠକରେ କମ୍ପାନୀ କର୍ତୃପକ୍ଷ ସହିତ ତିନି ଶହରୁ ଉର୍ଦ୍ଧ୍ବ ବିସ୍ଥାପିତ ଉପସ୍ଥିତ ଥିଲେ।ତେବେ ବୈଠକ ରେ ବିସ୍ଥାପିତଙ୍କ ଦାବିକୁ ଗ୍ରହଣ କରିବାରେ କମ୍ପାନୀ ଟାଳଟୁଳ ନିତି ଅବଲମ୍ବନ କରିବା ପରେ ଏହାକୁ ନେଇ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା। ବିସ୍ଥାପିତ ଗ୍ରାମବାସୀଙ୍କ ଅସନ୍ତୋଷ ଅଘଟଣର ରୂପ ନେବାର ଆଶଙ୍କା ଥିବାରୁ କାର୍ଯ୍ୟାଳୟ ପରିସରରେ ପୋଲିସ ମୁତୟନ କରାଯାଇଥିଲା। ଅପର ପକ୍ଷରେ ବୈଠକରେ କମ୍ପାନୀର ପ୍ରତିନିଧିତ୍ଵ କରିବା ପାଇଁ ଆସିଥିବା ଅଧିକାରୀଙ୍କ ଠାରୁ ଗଣମାଧ୍ୟମ ପ୍ରତିନିଧି ମତାମତ ନେବାକୁ ଚେଷ୍ଟା କରିବାରୁ ସେ ମୁଁ କୈାଣସି ମତାମତ ଦେବା ପାଇଁ ଅଥରାଇଜ ନୁହେଁ କହି ଏଡାଇ ଚାଲି ଯାଇଥିଲେ । ବୈଠକ ବିଫଳ ହେବା ଯୋଗୁଁ ବିସ୍ଥାପିତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଏହା ଆଗାମୀ ଦିନରେ ଜିନ୍ଦଲ କମ୍ପାନୀ ଓ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ସାଜିବା ନେଇ ସ୍ପଷ୍ଟ ସଙ୍କେତ ଦେଖା ଦେଇଛି।