ଏକାଦଶାହ ସ୍ମୃତିସଭା : ବିଶିଷ୍ଟ ବାସ୍ତୁବିତ୍
ନୀଳମଣି ଓଝାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ମହାକାଳପଡ଼ା, ୧୨l0୪ : ଉପକୂଳ ଓଡ଼ିଶାର ବିଶିଷ୍ଟ ବାସ୍ତୁବିତ୍, କୁଶଳୀ କାଷ୍ଠଶିଳ୍ପୀ ତଥା ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ପ୍ରାକ୍ତନ ସଭାପତି ନୀଳମଣି ଓଝାଙ୍କ ପାର୍ଥିବ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏକାଦଶାହ ସ୍ମୃତିସଭାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l ଶୁକ୍ରବାର ସନ୍ଧ୍ୟାରେ ଦିବଂଗତ ବାସ୍ତୁବିତ୍ ଶ୍ରୀ ଓଝାଙ୍କ ପୈତୃକ ବାସଭବନ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଗ୍ରାମରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା l ବୈଦିକ ମନ୍ତ୍ରୋଚ୍ଚାରଣ, ଗୀତାପାଠ, ଭକ୍ତି ସଂଗୀତ ଓ କବିତା ଆବୃତ୍ତି ମାଧ୍ୟମରେ ବହୁ ବିଶିଷ୍ଟ ବ୍ୟକ୍ତି, ବଂଧୁ ପରିଜନ ଓ ଜ୍ଞାତି କୁଟୁମ୍ବ ସ୍ବର୍ଗତ ଓଝାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
ପ୍ରାରମ୍ଭରେ ବସ୍ତୁବିତ୍ ସ୍ବର୍ଗତ ଓଝାଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଧୂପଦାନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l କବି ଓ ସମାଲୋଚକ ଡକ୍ଟର୍ କୁଳମଣି ଓଝା ଏହି ସ୍ମୃତିସଭାରେ ବେଦପାଠ, ଗୀତାଆବୃତ୍ତି ଓ ‘ମଧୁରାଷ୍ଟକ’ ଗାନ କରିବା ସଂଗେ ସଂଗେ ସ୍ମୃତିସଭାର ସଂଯୋଜନା କରିଥିଲେ l ଦିବଂଗତ ଆତ୍ମାର ଐହିକ ଶାନ୍ତି, ପାରତ୍ରିକ ମୁକ୍ତି ଓ ମୋକ୍ଷଦାୟୀ ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା l ଏହି ସ୍ମୃତିସଭାରେ ମହାକାଳପଡ଼ା ଅଞ୍ଚଳର ଜଣାଶୁଣା ରାଜନେତା ତଥା ସାଂସଦ ପ୍ରତିନିଧି ସଞ୍ଜୟ କୁମାର ରଥ, ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ମହାକାଳପଡ଼ା ବିକାଶ ମଞ୍ଚ ତଥା ବେଳାଭୂମି ସାହିତ୍ୟ ସଂସଦର ସଭାପତି କାଶୀନାଥ ରାଉତରାୟ, ମହାକାଳପଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ରତିକାନ୍ତ ପଣ୍ଡା, ଜନପ୍ରିୟ ସାହିତ୍ୟ ପତ୍ରିକା ‘ବନଫୁଲ’ର ମୁଖ୍ୟ ସଂପାଦକ ଅଧ୍ୟାପକ ରତ୍ନାକର ନାୟକ, ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ସଭାପତି ବସନ୍ତ କୁମାର ଓଝା, କୋଷାଧ୍ୟକ୍ଷ ସରୋଜକାନ୍ତ ଓଝା, ପୂର୍ବତନ ଜିଲ୍ଲା ସଭାପତି କେଶବ ଚନ୍ଦ୍ର ଓଝା, ସହପାଠୀ ବନ୍ଧୁ ମାଗୁଣି ଚରଣ ଜେନା, ବାଲ୍ୟବନ୍ଧୁ ବିଶ୍ୱକେଶନ ଦାସ ପ୍ରମୁଖ ସ୍ୱର୍ଗତ ନୀଳମଣି ଓଝାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିବା ସଂଗେ ସଂଗେ ସ୍ୱର୍ଗୀୟ ଆତ୍ମାର ସଦଗତି କାମନା ପୂର୍ବକ ଶ୍ରଦ୍ଧା ସୁମନାଞ୍ଜଳି ଅର୍ପଣ କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ପରୀକ୍ଷିତ ମହାରଣା, ଇଂ ଅଶୋକ କୁମାର ସୂତାର, ଇଂ ଅଭୟ କୁମାର ସୂତାର, ଅରୁଣ କୁମାର ସୂତାର, ବିଜୟ କୁମାର ଓଝା, ନାଗମଣି ଓଝା, ଅଜୟ କୁମାର ଓଝା, ନୀଳମଣି ସାହାଣୀ ଓ ଗୀତାଞ୍ଜଳି ସାହୁ, ରାଜଲକ୍ଷ୍ମୀ ଓଝା ଓ ଓମ୍ ପ୍ରକାଶ ଓଝା ପ୍ରମୁଖ ସ୍ମୃତିଚାରଣ ସହ ପରଲୋକଗତ ଓଝାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ସୁଖ୍ୟାତ କାଷ୍ଠ ଓ ବାସ୍ତୁଶିଳ୍ପୀ ରୂପେ ବର୍ଣ୍ଣନା କରିଥିଲେ l ପୁତ୍ରବଧୂ ଗୀତାଞ୍ଜଳି ‘ଗାଆଁ ଶ୍ମଶାନ’ ଶୀର୍ଷକ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଏହି ଅବସରରେ କଟକ, ବକ୍ସିବଜାର ସ୍ଥିତ ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱକର୍ମାରତ୍ନ ବଟକୃଷ୍ଣ ଓଝାଙ୍କ ଦ୍ୱାରା ପ୍ରେରିତ ଶୋକବାର୍ତ୍ତା ପାଠ କରାଯାଇଥିଲା l ସ୍ବର୍ଗତ ଓଝାଙ୍କ ଦୁଇ ପୁତ୍ର ନିରଞ୍ଜନ ଓଝା ଓ ନିର୍ମଳ ଓଝା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶେଷରେ ନିରଞ୍ଜନ ଓଝା ଆତ୍ମୀୟ ସ୍ୱଜନ, ବଂଧୁବର୍ଗ, ଆମନ୍ତ୍ରିତ ବିଶିଷ୍ଟ ବ୍ୟକ୍ତି ଓ ସମବେତ ଜନତାଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ l