ପଏଦା ପ୍ରାଥମିକ ବିଦ୍ୟାଳୟରେ ଖେଳନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ
ଏରସମା:୧୧/୪/୨୫(ସତ୍ୟବ୍ରତ ସାମଲ):-ଏରସମା ବ୍ଲକ ଅଧୀନସ୍ଥ ପଏଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଞ୍ଚଳିକ ସାଧନ କେନ୍ଦ୍ରରେ ଶିକ୍ଷଣ ସାମଗ୍ରୀ ଭିତ୍ତିକ ଖେଳନା ପ୍ରସ୍ତୁତି କର୍ମଶାଳା ଚମ୍ପେଶ୍ୱର ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଏରସମାର ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗୋପବନ୍ଧୁ ନାୟକ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ଏହି କର୍ମଶାଳାରେ ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନସ୍ଥ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ପ୍ରଥମ ରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଆଧାରରେ ବିଭିନ୍ନ ଶିକ୍ଷଣ ଫଳାଫଳ ହାସଲ ଉଦ୍ଦେଶ୍ୟରେ ବିଭିନ୍ନ ଖେଳନା ଅତି ସ୍ୱଳ୍ପ ମୂଲ୍ୟରେ ପ୍ରସ୍ତୁତି କରିଥିଲେ । ଏହି ଖେଳନା ସବୁ ଅପରିତ୍ୟକ୍ତ ସଢ଼େଇ, ଶୁଖିଲା ତାଳ,କାଠି,କାଗଜ ଇତ୍ୟାଦିରେ ବ୍ୟବହାର କରାଯାଇଥିଲା । ବ୍ଲକର କଳା ଶିକ୍ଷକ ହିମାଂଶୁ ଶେଖର ସାମଲ,ତଥା ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନସ୍ଥ କାଇଥୋଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପବିତ୍ର କୁମାର୍ ଦାସ, ଶୁଭଶ୍ରୀ ମଲ୍ଲିକ, ସୋନାଲିନ ଦଳାଇ ,ମହାଦେବ ଗୁରୁ ତଥା ଅନ୍ୟ ସମସ୍ତଙ୍କ ସହଯୋଗ ଓ ଉଦ୍ୟମରେ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ କଣ୍ଢେଇ ସବୁ ପ୍ରସ୍ତୁତ କରିଥିଲେ । କର୍ମଶାଳାର ଦ୍ଵିତୀୟ ଦିବସରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜ୍ୟଶ୍ରୀ ସାହୁ ଓ ଜିଲ୍ଲା ଶୈକ୍ଷିକ ସଂଯୋଜକ ତପନ କୁମାର ନନ୍ଦ ଓ ଶିକ୍ଷକ ପ୍ରଶିକ୍ଷକ ଚିତ୍ତ ରଂଜନ ଦାସ ଯୋଗଦେଇ ପ୍ରସ୍ତୁତ ହୋଇଥିବା ଖେଳନା ସବୁ ଦେଖିଥିଲେ ଓ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି ସବୁ ପ୍ରସ୍ତୁତ ପାଇଁ ବ୍ଲକ ତଥା ଜିଲ୍ଲାର ସମସ୍ତ ବିଦ୍ୟାଳୟର ଏହିପରି ଖେଳନା ପ୍ରସ୍ତୁତ କରି ଶିକ୍ଷଣ ପ୍ରକ୍ରିୟା ସହ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । କର୍ମଶାଳା କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାପସ କୁମାର ମହାନ୍ତି ଓ ବରିଷ୍ଠ ପ୍ରଧାନଶିକ୍ଷକ ଗଙ୍ଗାଧର ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିବାରେ ପୂର୍ଣ୍ଣ ସହୋଯୋଗ କରିବାସହ ପଏଦା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ବାଲିଆକଣୀ ଆଞ୍ଚଳିକ କେନ୍ଦ୍ର ସଂଯୋଜିକା ନିବେଦିତା ଜେନା ଯୁଗ୍ମ ଭାବରେ ପରିଚାଳନା କରିଥିଲେ । ଏହି ଭଳି ଉଚ୍ଚ କୋଟିର ଶୁଖିଲା ବସ୍ତୁରୁ ବିଭିନ୍ନ ରୂପ ଦେଇ ଖେଳନା ପ୍ରସ୍ତୁତି କରି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବାସହ ଆଗାମୀ ଦିନରେ ଓଡ଼ିଶା ର କଳା ସଂସ୍କୃତି ଓ ପରମ୍ପରା ବଜାୟ ରହିବ ବୋଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ କହିଥିଲେ ।