ଜାତୀୟ ପ୍ରେସ ଦିବସ ପାଳିତ
- ଗଞ୍ଜାମ:୧୬/୧୧(ବ୍ୟୁରୋ):-ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଡାଇମଣ୍ଡ ଜୁବୁଲି ଟାଉନ୍ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ବ୍ରହ୍ମପୁର ପ୍ରେସ କ୍ଲବ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ସର୍ବଣା ବିବେକ ଏମ୍ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତାଗୀର ଯୋଗଦେଇ ସମୟ ପରିବର୍ତ୍ତନ ସହ ଗଣମାଧ୍ୟମର ମଧ୍ୟ ପରିବର୍ତ୍ତନ ଘଟିବା ଏବଂ ଏପରି ଜାତୀୟ ପ୍ରେସ ଦିବସ ପାଳନର ଅନେକ ଗୁରୁତ୍ବ ବହନ କରୁଥିବା ନିଜର ବକ୍ତବ୍ୟରେ ଜଣାଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ପ୍ରେସ କ୍ଲବର ସଭାପତି ଅଶୋକ କୁମାର ବ୍ରହ୍ମା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ବରିଷ୍ଠ ସାମ୍ବାଦିକ ତଥା ସକାଳର ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଶକ୍ତିଧର ରାଜଗୁରୁ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗୀୟ ମୁଖ୍ୟ ବନ୍ଦିତା ପଣ୍ଡା, ବରିଷ୍ଠ ଶିକ୍ଷାବିତ ଅମର ପ୍ରସାଦ ବିଷୋୟୀ ଯୋଗଦେଇ ନିଜର ବକ୍ତବ୍ୟରେ ପ୍ରତେକ ଦେଶରେ ଗଣମାଧ୍ୟମ ହେଉଛି ପଚ୍ଛଦ ପଟ୍ଟର ନାୟକ। ବୋଲି କହିଥିଲେ। ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଦୀର୍ଘବର୍ଷ ଧରି ଗଣମାଧ୍ୟମରେ କାର୍ଯ୍ୟ କରି ଆସୁଥିବା ବରିଷ୍ଠ ସାମ୍ବାଦିକ ନରସିଂହ ସାହୁ, ଏ.ରାଜା ରାଓ, ସୁନୀଲ ମୋହନ ପଟ୍ଟନାୟକ ଓ ହୃଷିକେଶ ମହାନ୍ତିଙ୍କୁ ଉପଢୌକନ ସହିତ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ପୂର୍ବରୁ ଛତ୍ରପୁର ପ୍ରେସ କ୍ଲବ ଏବଂ ବ୍ରହ୍ମପୁର ପ୍ରେସ କ୍ଲବ ମଧ୍ୟରେ ଆୟୋଜିତ ହୋଇସାରିଥିବା ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟମ୍ୟାଚ୍ ରେ ବିଜୟ କରିଥିବା ଛତ୍ରପୁର ପ୍ରେସ କ୍ଲବ କୁ ଏବଂ ରନର ଭାବରେ ବ୍ରହ୍ମପୁର ପ୍ରେସ୍ କ୍ଲବକୁ ପୁରସ୍କୃତ କରାଯାଇଥିଲା। ଶେଷରେ ପ୍ରେସ କ୍ଲବ ବ୍ରହ୍ମପୁରର ସମ୍ପାଦକ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଡି. ଗୋପାଳକୃଷ୍ଣ ରେଡି, କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା, ଛତ୍ରପୁର ପ୍ରେସ କ୍ଲବର ସଭାପତି ରବିନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ।
ଜାତୀୟ ପ୍ରେସ ଦିବସ ପାଳିତ , ଗଞ୍ଜାମ
Published on: